ପରିମଳରେ ଏକ ନମ୍ବର ପୁରସ୍କାର ପାଇଥିବା ହିନ୍ଦୋଳରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ!
ଦାଣ୍ଡି ଯାତ୍ରାର ୭ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିଲାନି ମାଲ୍ୟାର୍ପଣ, ତ୍ରିନାଥ ନାୟକଙ୍କ ପ୍ରତିମୂର୍ତ୍ତି ସଫା କଲେ ଢେଙ୍କାନାଳ କାଉନସିଲର
ହିନ୍ଦୋଳ, ଢେଙ୍କାନାଳ | ୦୨/୧୦/୨୦୨୬
ହିନ୍ଦୋଳ: ପରିମଳ କ୍ଷେତ୍ରରେ ଏକ ନମ୍ବର ପୁରସ୍କାର ପାଇଥିବା ହିନ୍ଦୋଳ ଏନ୍ଏସିରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଉଠିଛି ପ୍ରଶ୍ନ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଦାଣ୍ଡି ଯାତ୍ରାର ଅନ୍ୟ ସାତଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇନଥିବା ଏବଂ ହିନ୍ଦୋଳର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ତ୍ରିନାଥ ନାୟକଙ୍କ ପ୍ରତିମୂର୍ତ୍ତି ଅପରିଷ୍କାର ଅବସ୍ଥାରେ ଥିବା ଅଭିଯୋଗ ହୋଇଛି।
ଇତିହାସରେ ମହାପୁରୁଷମାନଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ଜୀବନୀ ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଏଥିପାଇଁ ବିଭିନ୍ନ ସ୍ଥାନରେ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। କିନ୍ତୁ ହିନ୍ଦୋଳରେ ଏହି ପରମ୍ପରା ପାଳନ ଓ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ହିନ୍ଦୋଳ ରାଜସ୍ୱ ବଙ୍ଗଳା ସମ୍ମୁଖରେ ଥିବା ଦାଣ୍ଡି ଯାତ୍ରାର ପ୍ରତିମୂର୍ତ୍ତି ସ୍ଥଳରେ ମହାତ୍ମା ଗାନ୍ଧୀଙ୍କୁ ମାଲ୍ୟାର୍ପଣ କରାଯାଇଥିବା ବେଳେ ଅନ୍ୟ ସାତଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇନଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ହିନ୍ଦୋଳ ଏନ୍ଏସି କାର୍ଯ୍ୟାଳୟ ନିକଟସ୍ଥ ମେଡିକାଲ ଛକରେ ଥିବା ପୂର୍ବତନ ମନ୍ତ୍ରୀ ତ୍ରିନାଥ ନାୟକଙ୍କ ପ୍ରତିମୂର୍ତ୍ତି ଓ ଏହାର ଚତୁଃପାର୍ଶ୍ୱ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ଦେଖି ଢେଙ୍କାନାଳର କାଉନସିଲର ତଥା ବିଜେଡି କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଥିଲେ।
ସେ ନିଜ ସହଯୋଗୀଙ୍କ ସହ ମିଶି ପ୍ରତିମୂର୍ତ୍ତିକୁ ପାଣିରେ ଧୋଇବା ସହ ଏହାର ଚତୁଃପାର୍ଶ୍ୱକୁ ଝାଡ଼ୁ ମାରି ସଫା କରିଥିଲେ। ପରେ ତ୍ରିନାଥ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିଦିନ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ସମୟରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ମାଲ୍ୟାର୍ପଣ କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ସାଧାରଣରେ ପ୍ରଶ୍ନ ଉଠିଛି—ଏନ୍ଏସି କାର୍ଯ୍ୟାଳୟ ନିକଟରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଯଦି ନିୟମିତ ସଫା ହୋଇପାରୁନାହିଁ, ତେବେ ପରିମଳ କ୍ଷେତ୍ରରେ ହିନ୍ଦୋଳ ଏନ୍ଏସି ପୁରସ୍କାର ପାଇବାର ମାନଦଣ୍ଡ କ’ଣ ଥିଲା?
ଜାତୀୟ ଦିବସ ଓ ମହାପୁରୁଷଙ୍କ ଜୟନ୍ତୀ ପାଳନ ସମୟରେ କେବଳ ମାଲ୍ୟାର୍ପଣରେ ସୀମିତ ନରହି ପ୍ରତିମୂର୍ତ୍ତିଗୁଡ଼ିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ଉପରେ ହିନ୍ଦୋଳ ଏନ୍ଏସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି।
ରିପୋର୍ଟ: Newsodiaodisha