#ଭିଜିଲାନ୍ସ_ପଞ୍ଝାରେ_ମାଲକାନଗିରି_ଝରାପାଲି_ରାଜସ୍ୱ_ନିରୀକ୍ଷକ #ଜାତିପ୍ରମାଣପତ୍ର_ପାଇଁ_୮ହଜାର_ଟଙ୍କା_ଲାଞ୍ଚ
ମାଲକାନଗିରି, ୧୮/୦୮: ଜାତି ପ୍ରମାଣପତ୍ର ପ୍ରଦାନ ପାଇଁ ଯାଞ୍ଚ ରିପୋର୍ଟ ଦେବା ବାବଦରେ ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ତହସିଲ ଅଧୀନ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍ଆଇ) ସୂରଜ ବାଲା। ଜଣେ ଆବେଦନକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଆବେଦନକାରୀ ତାଙ୍କ ପତ୍ନୀଙ୍କ ନାମରେ ଅନୁସୂଚିତ ଜାତି (ଏସ୍ସି) ପ୍ରମାଣପତ୍ର ପାଇଁ ସରକାରୀ ନିୟମ ଅନୁସାରେ ଅନଲାଇନ୍ରେ ଆବେଦନ କରିବା ସହ ଆବଶ୍ୟକ ଫି’ ମଧ୍ୟ ଜମା କରିଥିଲେ। ତେବେ ଯାଞ୍ଚ ରିପୋର୍ଟ ଦାଖଲ କରିବାରେ ଆର୍ଆଇ ସୂରଜ ବାଲା ବିଳମ୍ବ କରିବା ସହ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ୮ ହଜାର ଟଙ୍କା ଏବଂ କାମ ସରିବା ପରେ ବାକି ୨ ହଜାର ଟଙ୍କା ଦେବାକୁ ସେ କହିଥିବା ଭିଜିଲାନ୍ସ ପକ୍ଷରୁ ପ୍ରକାଶ। ଲାଞ୍ଚ ଦାବି ଓ ହଇରାଣରେ ଅତିଷ୍ଠ ହୋଇ ଆବେଦନକାରୀ ଏନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସର ଏକ ଟିମ୍ ଝରାପାଲି ଆର୍ଆଇଙ୍କ କାର୍ଯ୍ୟାଳୟରେ ଜାଲ ବିଛାଇଥିଲା। ଆବେଦନକାରୀଙ୍କ ଠାରୁ ନିଜ କାର୍ଯ୍ୟାଳୟ କକ୍ଷରେ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସୂରଜ ବାଲାଙ୍କୁ ଭିଜିଲାନ୍ସ ଅଧିକାରୀମାନେ କାବୁ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୮ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରାଯାଇଛି। ଘଟଣା ପରେ ଆର୍ଆଇ ସୂରଜ ବାଲାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିକୋଣରୁ ଏକକାଳୀନ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୯/୨୦୨୬ ରୁଜୁ ହୋଇ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଆର୍ଆଇ ସୂରଜ ବାଲାଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ପୂର୍ବରୁ ମଧ୍ୟ ଲାଞ୍ଚ ମାମଲା:ଉଲ୍ଲେଖଯୋଗ୍ୟ, ସୂରଜ ବାଲା ପୂର୍ବରୁ ମଧ୍ୟ ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। କୋରାପୁଟ ଭିଜିଲାନ୍ସ ଥାନା କେସ୍ ନମ୍ବର ୩୩/୨୦୨୩ରେ ଏକ ଇସି ମାମଲାରେ ଉପସ୍ଥିତି ନୋଟିସ୍ ଜାରି କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ଉକ୍ତ ମାମଲା ବର୍ତ୍ତମାନ ବିଚାରାଧୀନ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।