୧୬ଦଫା ଦାବି ନେଇ ରାଉରକେଲା ଶ୍ରମିକ ସଂଘର ଆହ୍ବାନ କ୍ରମେ ଆଜି ରାଉରକେଲା ବିର୍ସା ଛକ ଠାରେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇସ୍ପାତ କର୍ମଚାରୀଙ୍କ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି, ବକେୟା ୩୯ ମାସର ଏରିଅର ତୁରନ୍ତ ପ୍ରଦାନ, ଦଶମ ମଜୁରୀ ଚୁକ୍ତିନାମାକୁ ପୂର୍ଣ୍ଣାଙ୍ଗ କରିବା, ମାସିକ ପ୍ରୋତ୍ସାହନ ପୁରସ୍କାର (Monthly Incentive Reward)ର ପୁନଃ ମୂଲ୍ୟାୟନ କରିବା, ସମ୍ମାନଜନକ ବାର୍ଷିକ ଇସ୍ପାତ କାରଖାନା କାର୍ଯ୍ୟଦକ୍ଷତା ଲିଙ୍କ୍ଡ ପ୍ରୋତ୍ସାହନ ଯୋଜନା (Annual Steel Plant Performance Linked Incentive Scheme) (ASPLIS) ବୋନସ୍ ପ୍ରଦାନ କରିବା, ଇସ୍ପାତ ଜେନେରାଲ୍ ହସ୍ପିଟାଲ (IGH)ର ଘରୋଇକରଣ ବନ୍ଦ କରିବା, ଟାଉନସିପ୍ (Township)ର ଘରୋଇକରଣ ବନ୍ଦ କରିବା, ବାସଗୃହ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମେତ ଅନ୍ୟାନ୍ୟ ନ୍ୟାୟସଙ୍ଗତ ୯ଟି ଦାବି ସହିତ ମୋଟ ୧୬ ଦଫା ଦାବି ରହିଛି। ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଗଣଧାରଣା ପ୍ରାରମ୍ଭରେ, ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏହି ଗଣବିକ୍ଷୋଭର ଶୁଭାରମ୍ଭ କରିଥିଲେ। ଗଣବିକ୍ଷୋଭର ମୁଖ୍ୟ ଆକର୍ଷଣ ଥିଲା ୩୯ ମାସର ଏରିଅର ଦାବିକୁ ପ୍ରତୀକାତ୍ମକ ଭାବେ ଉପସ୍ଥାପନ। ୩୯ ମାସର ଏରିଅର ଦାବିରେ ୩୯ ଜଣ କର୍ମଚାରୀ ହାଫ୍ ପ୍ୟାଣ୍ଟ୍ ଓ ଗଞ୍ଜି ପରିଧାନ କରି ପ୍ରତୀକାତ୍ମକ ଭାବେ ବିକ୍ଷୋଭରେ ବସିଥିଲେ।ହି ଅବସରରେ ସାଧାରଣ ସମ୍ପାଦକ ଶ୍ରୀ ବେହେରା ସେଲ୍ ମ୍ୟାନେଜମେଣ୍ଟକୁ ଚେତାବନୀ ଦେଇ କହିଥିଲେ ଯେ, “ଏହା ଆରମ୍ଭ ମାତ୍ର, କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘ ଆହୁରି ତୀବ୍ର ଓ ଅଭିନବ ଆନ୍ଦୋଳନ କରିବାକୁ ପଛେଇବ ନାହିଁ।” ସେ ଆହୁରି କହିଥିଲେ ଯେ, ମହାରତ୍ନ କମ୍ପାନୀର କର୍ମଚାରୀମାନଙ୍କ ୧୦ ବର୍ଷିଆ ମଜୁରୀ ଚୁକ୍ତିନାମାର ଅବଧିର ୯ ବର୍ଷ ୯ ମାସ ବିତିଯାଇଥିଲେ ମଧ୍ୟ ୩୯ ମାସର ଏରିଅର ପ୍ରଦାନ ନକରିବା ଏବଂ ଦଶମ ମଜୁରୀ ଚୁକ୍ତିନାମାକୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ