ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ମାମଲା ।
ଚନ୍ଦକାରେ ପୋଲିସ ଏନକାଉଣ୍ଟର ।
ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀଧର ପଣ୍ଡା
ଗୋଡ଼ରେ ବାଜିଲା ଗୁଳି
୩୦୦ ସିସିଟିଭି ଏବଂ ୪୮ ଘଣ୍ଟାର ମେଗା ଅପରେସନ ।
ନୂଆ ଡିସିପିଙ୍କ ଧମାକା ଦାର ପଦକ୍ଷେପ ।
ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନୟାପଲ୍ଲୀ ବେହେରା ସାହି ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ପୋଲିସର ମିଳିତ ଚଢ଼ାଉ ବେଳେ ଚନ୍ଦକା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା (୨୪) ଗୁରୁତର ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୟାପଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ଭୁବନେଶ୍ୱର ଡିସିପିଙ୍କ ଶ୍ରବଣା ବିବେକ ଏମ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ଟି ଟିମ୍ ଗଠନ କରାଯାଇ ପ୍ରାୟ ୧୦୦ ପୋଲିସ କର୍ମଚାରୀଙ୍କୁ ନେଇ ୪୮ ଘଣ୍ଟାର ନନ-ଷ୍ଟପ୍ ଅପରେସନ୍ ଚାଲିଥିଲା । ସ୍ପେଶାଲ ସ୍କ୍ୱାଡ୍ ପ୍ରାୟ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ସହ ବିପୁଳ ପରିମାଣର ବୈଷୟିକ ତଥ୍ୟ (Technical Data) ଆଧାରରେ ଅଭିଯୁକ୍ତ ଶ୍ରୀଧରକୁ ଚିହ୍ନଟ କରିଥିଲା
ଆଜି ପୋଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚନ୍ଦକା ଥାନା ଅଞ୍ଚଳରେ ଘେରିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଶ୍ରୀଧର ଅତ୍ୟନ୍ତ ଉଗ୍ର ରୂପ ଧାରଣ କରି ପୋଲିସ କବଜାରୁ ଖସିଯିବାକୁ ଚେଷ୍ଟା କରିଥିଲା । ସେ ଏକ ସ୍କ୍ରୁ-ଡ୍ରାଇଭର ସାହାଯ୍ୟରେ ନୟାପଲ୍ଲୀ ଥାନାର ସବ୍-ଇନ୍ସପେକ୍ଟର (SI)ଙ୍କୁ ଛୁରାମାଡ଼ କରି ହତ୍ୟା ଉଦ୍ୟମ କରିଥିଲା । ନିଜ ଜୀବନର ସୁରକ୍ଷା ତଥା ଆତ୍ମରକ୍ଷାର୍ଥେ ପୋଲିସ ଟିମ୍ ପକ୍ଷରୁ ଦୁଇ ରାଉଣ୍ଡ ଜବାବୀ ଗୁଳି ଚାଳନା କରାଯାଇଥିଲା, ଯାହା ଅଭିଯୁକ୍ତର ଗୋଡ଼ରେ ବାଜିଥିଲା ।
ପୋଲିସ ସୂଚନା ଅନୁଯାୟୀ, ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଏହି ଅଭିଯୁକ୍ତ ଶ୍ରୀଧର ପଣ୍ଡା ବର୍ତ୍ତମାନ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଗ୍ରାମରେ ରହୁଥିଲା । ସେ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଖଣ୍ଡଗିରି ଏବଂ ତମାଣ୍ଡୋ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲା । ସେ ସୁସ୍ଥ ହେବା ପରେ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।