ଚୋରା ମଦ ଭାଟିକୁ ନେଇ ତାତିଲେ ମହିଳା। ମଦ ବିକ୍ରି ବନ୍ଦ କରିବା ଦାବିରେ ମଦ ଭାଟିରେ ଧସେଇ ପଶିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା। ଭାଟି ଭାଙ୍ଗିବା ସହ ମଦ ବୋତଲ ଭାଙ୍ଗି ପ୍ରତିବାଦ ଜଣାଇଛନ୍ତି ମହିଳାମାନେ ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସାନ ଆଉସା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ସାନ ଆଉସା ଗ୍ରାମର ଶମ୍ଭୁନାଥ ସାହୁ ଦୀର୍ଘ ୮ ବର୍ଷ ଧରି ଦେଶୀ ଓ ବିଦେଶୀ ମଦ ବିକ୍ରି କରି ଆସୁଥିଲେ। ଗ୍ରାମର ମହିଳା ମାନେ ମଦ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଜଣାଇ ଥିଲେ। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଜୟରାମପୁର, ଖଡ଼ିକାବାଡ଼ି, କାଠକଟା, ବଡ଼ ଆଉସା ଓ ସାନ ଆଉସା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହେଇ ମଦ ଭାଟିରେ ଧସେଇ ପଶି ଭାଟି ଭାଙ୍ଗିବା ସହ ମଦ ବୋତଲ ମଧ୍ୟ ଭାଙ୍ଗିଥିଲେ।