ବ୍ରାହ୍ମଣୀରେ ଦ୍ୱିତୀୟ ଥର ବନ୍ୟା, ଦୁର୍ଦ୍ଦଶା ଦୁଇଗୁଣିତ
*ମାଳପୁରା ଇନ୍ଟେକ୍ ରାସ୍ତା ବିପଦରେ,
*ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ
*ଗୋଖାଦ୍ୟ ବାଣ୍ଟିଲେ ଶୁଭେନ୍ଦୁଙ୍କ ଟିମ୍
*ରତାସାହିରେ ଧସିଲା ପୂର୍ତ୍ତ ରାସ୍ତା
*ମାର୍ଥାପୁର ବ୍ରିଜ୍ ରାସ୍ତା ନଷ୍ଟ | *ଚାଷ ଜମିରେ ପଚିଲା ଧାନ
ଭୁବନ, ୧୬/୮: ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିବାରୁ ଭୁବନ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା ଦୁଇଗୁଣିତ ହୋଇପଡ଼ିଛି। ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୬ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା ସହ ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।
ଭୂଷଳ ପଞ୍ଚାୟତର ଜୟପୁର, ଯମୁନାକୋଟର କୃଷ୍ଣପୁର, ବାଲିବୋ ପଞ୍ଚାୟତର କୁମର୍ଦ୍ଦା ଓ ଅରିଲୋ, ସୁରପ୍ରତାପପୁର ପଞ୍ଚାୟତର ପାଟପୁର ଏବଂ ଗଡ଼ନୃସିଂହପ୍ରସାଦ ପଞ୍ଚାୟତର କାଶୀପୁର ଗ୍ରାମ ବନ୍ୟାଜଳ ଘେରରେ ରହିଛି। ଅନେକ ଲୋକ ଘରୁ ବାହାରିବାକୁ ଅସମର୍ଥ ହୋଇଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ଚିନ୍ତାର କାରଣ ପାଲଟିଛି।
ମାଳପୁରା ଇନ୍ଟେକ୍ ରାସ୍ତା ବିପଦରେ ରହିଥିବା ଦେଖାଯାଇଛି ।
ଓଡ଼ିଶା ସରକାରଙ୍କ ‘ହର ଘର ଜଳ’ ଯୋଜନାରେ ମାର୍ଥାପୁର ପଞ୍ଚାୟତର ମାଳପୁରା ଗାଁ ନିକଟରେ ଥିବା ଇନ୍ଟେକ୍ ୱେଲ୍କୁ ଯାଇଥିବା ରାସ୍ତା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବାରୁ ଆଗାମୀ ଦିନରେ ଏହା ଅଧିକ ଧସିଯିବା ଆଶଙ୍କା ଦେଖାଦେଇଛି। ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
*ବୋଟ୍ରେ ଗଲେ ବିଧାୟକ, ବୁଝିଲେ ଲୋକଙ୍କ ସମସ୍ୟା
ଭୂଷଳ ପଞ୍ଚାୟତର ଜୟପୁର ଗାଁରେ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ବୋଟ୍ ସାହାଯ୍ୟରେ ପହଞ୍ଚିଥିଲେ। ବନ୍ୟାଜଳ ମଧ୍ୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବିଧାୟକ ଅବଗତ ହୋଇଥିଲେ। ଆବଶ୍ୟକ ସହାୟତା ଯୋଗାଇଦେବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
*୧୨ କୁଇଣ୍ଟାଲ ଗୋଖାଦ୍ୟ ପହଞ୍ଚାଇଲେ ଶୁଭେନ୍ଦୁଙ୍କ ଟିମ୍
ବନ୍ୟାରେ ମଣିଷଙ୍କ ସହ ଗୃହପାଳିତ ପଶୁ ଓ ଗୋରୁଗାଈଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ୧୨ କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି। ଏହା ଫଳରେ ଅସହାୟ ପଶୁପାଳକମାନେ କିଛିଟା ଆଶ୍ୱସ୍ତ ହୋଇଛନ୍ତି।
*ଫାର୍ମହାଉସ୍ରୁ ୪ ଜଣଙ୍କୁ ଉଦ୍ଧାର
ମଠକରଗୋଲା ନିକଟରେ ରାମିଆଳ ନଦୀ ଗର୍ଭରେ ଥିବା ବୁଲା ସାହୁଙ୍କ ଫାର୍ମହାଉସ୍ ବନ୍ୟାଜଳ ଘେରରେ ଫସିଯାଇଥିଲା। ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
*ନିଛା ପୋଲ୍ ଉପରେ ୩ ଫୁଟ୍