
ଫେସବୁକ୍ ଲାଇଭ୍ରୁ ତୁମୁଳକାଣ୍ଡ, ଫୁଟିଲା ଗୁଳି; ଭରତପୁର ଥାନା ଅଞ୍ଚଳରେ ୫ ଆହତ, ୨ ଖୋକା ଜବତ ...
#exclusivenews #swabhimaniodia #metronews
ରାଜଧାନୀରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଫାଙ୍କା ଗୁଳିଚାଳନାକୁ ନେଇ ତୁମୁଳକାଣ୍ଡ ଘଟିଛି । ଗଣ୍ଡଗୋଳ ଓ ମାରପିଟରେ ୫ ଜଣ ଆହତ ହୋଇଛନ୍ତି । ଗତକାଲି ଜଣେ ଯୁବକ ଫେସବୁକ୍ ଲାଇଭ୍ କରି ଏକ ମାମଲାକୁ ନେଇ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଭିଡିଓଟି ଭାଇରାଲ ହେବା ପରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ଘାଟିକିଆ ପୂଜା ପେଣ୍ଡାଲରେ ଘଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ରାତି ପ୍ରାୟ ୨ଟା ୪୦ରେ କିଛି ଯୁବକ ଦଳ ଦଳ ହୋଇ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାରପିଟରେ ଜଣେ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଛି । ଅଭିଯୋଗ ଅନୁସାରେ, ଘଟଣାସ୍ଥଳରେ ୩ ରାଉଣ୍ଡ ଗୁଳି ଫୁଟାଯାଇଥିଲା। ଗୁଳିଚାଳନା ପରେ ଭୟରେ ଲୋକେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଭସାଣି ଉତ୍ସବ ପରେ କ୍ଲବ୍ରେ ଭୋଜି ଚାଲିଥିବା ବେଳେ ଏହି ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି । ସେହିପରି କ୍ଲବ୍ ଘର ଭିତରେ ଜଣେ ବ୍ୟକ୍ତି ବନ୍ଧୁକ ଧରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ମୋଟ ୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଘଟଣାସ୍ଥଳରୁ ୨ଟି ଖୋକା, ମଦ ବୋତଲ ଓ ରକ୍ତଭିଜା ସାର୍ଟ ଜବତ କରିଛି ପୁଲିସ । ଘଟଣାର କାରଣ ଓ ଗୁଳିଚାଳନାରେ କେଉଁମାନେ ସାମିଲ ଥିଲେ, ସେନେଇ ତଦନ୍ତ ଜାରି ରହିଛି ।